ଗାଁ ତୁମେ କେମିତି ଅଛ? (୧)
ଆଜି ଜଣେ ବନ୍ଧୁଙ୍କ ସହ ଗପସପ କରୁକରୁ କଥା ପଡ଼ିଲା ଗାଁ ଜୀବନ ସମ୍ପର୍କରେ। ପ୍ରକୃତରେ ସେ ମୋର ଜଣେ ବଡ଼ ଭାଇ ଭଳି । ଆମ ଦୁହିଁଙ୍କ ମଧ୍ୟରେ ବୟସର ଅନେକ ତାରତମ୍ୟ ଥିଲେ ମଧ୍ୟ, ଉଭୟଙ୍କ ପିଲାଦିନ କଟିଛି ଗାଁରେ, ଅବଶ୍ୟ ଭିନ୍ନ ଭିନ୍ନ ଜିଲ୍ଲାରେ ଏବଂ ଭିନ୍ନ ଭିନ୍ନ ସମୟରେ । ଏବେ ଆମେ ଦୁହେଁ ଭୁବନେଶ୍ୱରରେ । ଆଲୋଚନାରେ ଦୁଇଟି ପ୍ରସଙ୍ଗ ଥିଲା । ପ୍ରଥମଟି ଆମ ପିଲାମାନେ ଗାଁ ଜୀବନ ସମ୍ପର୍କରେ ଜାଣିବାର ସୁଯୋଗ ପାଉ ନାହାନ୍ତି ବା ପାଇବେ ନାହିଁ ଏବଂ ଦ୍ୱିତୀୟଟି ଆମ ପିଲାବେଳର ଗାଁ ଏବେ ଆଉ ସେଭଳି ନାହିଁ । ମୋର ମନେ ଅଛି, ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥାଏ, ଥରେ ଶନିବାର ସକାଳ ସ୍କୁଲ୍ରେ ତର୍କ ପ୍ରତିଯୋଗିତା ହେଲା । ଗାଁ ଭଲ, ନା ସହର । ମୋର ଗାଁ ପ୍ରତି ବିଶେଷ ଦୁର୍ବଳତା ଥାଏ । ତେଣୁ କହିବା ବାହୁଲ୍ୟ ଯେ ମୁଁ ଗାଁକୁ ହିଁ ସମର୍ଥନ କଲି । ମୋର ଜଣେ ସହପାଠୀ ସହରକୁ ସମର୍ଥନ କଲେ । ମୋର ମନେ ଅଛି, ତର୍କ ଏତେ ତୀବ୍ର ହେବାରେ ଲାଗିଲା ଯେ, ସାର୍ ଅଧାରୁ ତର୍କ ପ୍ରତିଯୋଗିତା ବନ୍ଦ କରି ପଦ୍ୟାନ୍ତ ପ୍ରତିଯୋଗିତା ଆରମ୍ଭ କଲେ । ଆଉ ଅଭିମାନରେ ସେହି ସହପାଠୀଙ୍କ ସହ ମୋର କିଛି ଦିନ ଯାଏଁ କଥାବାର୍ତ୍ତା ହେଲା ନାହିଁ । କିନ୍ତୁ ଏବେ ଗାଁ ପ୍ରତି ସେହି ଏକା ମମତା ଥିଲେ ବି ସେ ଆକର୍ଷଣ ନାହିଁ । ସହରର ସୁଖସୁବିଧା ଏହାର ପ୍ରକୃତ କାରଣ ନୁହେଁ । ପୁଣି ଫେରିବି ସେହି ପୂର୍ବ ପ୍ରସଙ୍ଗକୁ । ଆମ ପିଲାମାନେ ଗାଁ ଜ...