ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ

ଗାଁକୁ ଯାଇଥିଲି, ନାଥ ସହ ଦେଖା ହୋଇଥିଲା। ଲୋକଙ୍କ ପାଇଁ ନାଥିଆ, କିନ୍ତୁ ଘର ଭଙ୍ଗାକାନ୍ଥ ପଡ଼ି ମାଆ ଆରପାରିକୁ ଯିବାପରେ ପ୍ରକୃତରେ ଅନାଥ। ସେ ମା'ପେଟରେ ଥିବା ବେଳକୁ ତା ବାପାକୁ କୁଆଡ଼େ ଗୁଣିଆ ବାଣ ମାରିଥିଲା, କିଏ କହେ ବିଲମଝିରେ ଛାତିଫାଟି ମଲା, ଆଉ କିଏ କହେ ଘରେ ଶୁଖିଶୁଖି ମଲା। ନାଥ ମୋ ଦୁଇଟି ଉପର ଶ୍ରେଣୀରେ ପଢ଼ୁଥିଲା, ମୁଁ ଯେତେବେଳେ ତୃତୀୟରେ ପଢ଼ୁଥାଏ। ମୁଁ ଚତୁର୍ଥ ଛୁଇଁଲା ବେଳକୁ ସେ ଗାଁଲୋକଙ୍କ ସହ ବିଲରେ ମଜୁରି ଖଟୁଥିଲା। ପଞ୍ଚମ ଯାଏଁ ପଢ଼ିଥିବା ନାଥ ଏବେ ନିର୍ବାଚନ ପ୍ରଚାରରେ ମାତିଛି ଓ ପାଞ୍ଚଗାଁ ଖବର ରଖୁଛି।

ମୋ ଠୁ ବୟସରେ ବଡ଼ ହେଲେ ବି ମୁଁ ଗାଁକୁ ଗଲେ ମୋତେ ତା ବଡ଼ଭାଇ ଭଳି ବ୍ୟବହାର କରେ। କହିଲା ତୁମେ ତ ବାହାରେ ରହିଲ, ଗାଁ ଖବର ରଖିବା ପାଇଁ କାହାକୁ ତ ଏଠି ରହିବାକୁ ପଡ଼ିବ। ଚାଷରେ ଲାଭ ନହେଲେ ବି ମୁଁ ଏଠି ଶାନ୍ତିରେ ଅଛି। ରାତି ପାହିଲେ ଗାଁ ଭାଇଙ୍କୁ ଭେଟୁଛି, ଦୁଃଖସୁଖ ହେଉଛି, ଗାଁରେ ଘେରାଏ ବୁଲି ଆସୁଛି। ଦେଖୁଛତ ଇଲେକସନ ଆସୁଛି। ଦି ପଇସା ରୋଜଗାର ବି ହବାର ଅଛି। ମକରା ଭଳିଆ ବାଙ୍ଗାଲୁର୍ ଯାଇ ଦହଗଞ୍ଜ ହୋଇ କାହିଁକି ପୁଣି ଗାଁକୁ ଫେରିବି? ଏଇଠି ମୁଁ ଭଲରେ ଅଛି।

- ସବୁକଥା ଠିକ୍ ଯେ, କିନ୍ତୁ ଇଲେକ୍ସନ ଆସିଲେ ଦି ପଇସା ରୋଜଗାର ହେବ ମାନେ? ତୁ କଣ ଦଳର ପ୍ରଚାରରେ ବୁଲିବୁ କି? ମୁଁ ପଚାରିଲି।

- ଦେଖ ଭାଇ, ଭୋଟ ଗୋଟେ ମଉକା। ମୁଁ କହିଦେଇଛି, ମୋର ମଦ କି ମାଂସରେ ଲୋଭ ନାହିଁ। ଦୁଇରାତି ମାଂସ ଖାଇ ମାତାଲ ହେଲେ କଣ ଲାଭ? ଟଙ୍କା... ଯିଏ ଅଧିକ ଟଙ୍କା ଦେବ, ଭୋଟ
ତାକୁ ଦେବି। ତା ପାଇଁ ପ୍ରଚାର ବି କରିବି।

- ମୁଁ ପଚାରିଲି, ତୁ କେଉଁ ଦଳର?

- ଦଳର? ଦଳକୁ ମାର ଗୁଳି। ମୁଁ ଟଙ୍କା ଦଳର। ଯିଏ ଅଧିକ ଟଙ୍କା ଦେବ, ମୋର ଭୋଟ ସେଇ ଦଳକୁ।

ନିର୍ବାଚନ ଓ ଟଙ୍କା କଥା ପଡ଼ିଲାବେଳକୁ ନାଥ ଉତ୍ସାହିତ ହୋଇଉଠୁଥିଲା, ତା କଥା କହିବା ଶୈଳୀ ବଦଳିଯାଇଥିଲା, ସତେ ଯେପରି ଆଗାମୀ ଦିନରେ ସେ ବହୁତ ଟଙ୍କା ପାଇଯାଇଛି.. କିମ୍ବା ପାଇ ଯିବ।

ମୁଁ ଜାଣିଥିଲି ସେ ବୁଝିବ ନାହିଁ, ତଥାପି କହିଲି- ଆମ ପଞ୍ଚାୟତରେ ଜଣେ ଭଲ ପ୍ରାର୍ଥୀକୁ ଆମେ କାହିଁକି ସରପଞ୍ଚ ନକରିବା? ଜାଣିଛୁ, ତୋର ଏଇ ଲୋଭ ପାଇଁ ଆମ ଅଞ୍ଚଳକୁ ପାଞ୍ଚ ବର୍ଷ କ୍ଷତି ସହିବାକୁ ପଡ଼ିପାରେ? ତୋତେ ହୁଏତ ସିଏ କିଛି ଟଙ୍କା ଦେଇଦେବ, ଆଉ କେତେ ଜଣଙ୍କୁ ବି ବାଣ୍ଟିଦେବ, ହୁଏତ ପୁରା ପଞ୍ଚାୟତରେ ମଦ, ମାଂସ, ଟଙ୍କା ବାଣ୍ଟିବ। କିନ୍ତୁ କେବେ ଭାବିଛୁ, ସେ ସରପଞ୍ଚ ହେବା ପରେ ଯେତିକି ଖର୍ଚ୍ଚ କରିଥିବ, ତାର ଦଶଗୁଣ କି ଆହୁରି ବେଶୀ ଟଙ୍କା ମାରି ଖାଇବ। ସେସବୁ କାହା ଟଙ୍କା? ଆମରି ଟଙ୍କା। ଆମ ଗାଁ, ଆମ ପଞ୍ଚାୟତ ଉନ୍ନତି ପାଇଁ ଆସିଥିବା ଟଙ୍କାରୁ ସେ ନିଜ ସମ୍ପତ୍ତି ବଢ଼ାଇବ। ତେଣୁ ଆମେ କାହିଁକି ଅଳ୍ପ କିଛି ଟଙ୍କା ପାଇଁ ଆମରି ହାତରେ ଆମ ଭବିଷ୍ୟତ, ଆମ ପିଲାଛୁଆ ଭବିଷ୍ୟତ ଖରାପ କରିବା? ବରଂ ଭଲ ପ୍ରାର୍ଥୀକୁ ଭୋଟ ଦେଇ ଜିତାଇଲେ, ସେ ଆମରି ଲାଭରେ ଆସିବ।

ନାଥ ସବୁ ଶୁଣିଲା। କିଛି ସମୟ ଚୁପ୍ ରହିଲା। ବୋଧ ହୁଏ ସେ ବି ମୋତେ କିଛି ବୁଝାଇବାକୁ ଚାହୁଁଥିଲା। ତା ପରେ କହିଲା। ଯାହା କହିଲା, ମୋ ପାଖରେ ତାର ଆଉ କୌଣସି ଉତ୍ତର ନଥିଲା।

ନାଥ କହିଲା- ଠିକ୍ କଥା କହିଲ ଯେ ଭାଇ, କିନ୍ତୁ କହିଲ, ଆମ ପଞ୍ଚାୟତରେ ସରପଞ୍ଚ ପାଇଁ କିଏ କିଏ ଠିଆ ହୋଇଛନ୍ତି? ମୁଁ ଜାଣିଛି ତୁମେ ଜାଣି ନଥିବ। ଗୋଟିଏ ଦଳରେ ଲଢ଼ୁଛି ଅଚିନ୍ଦ୍ରା ଗାଁର ବୈରାଗୀ। ଏବେକାର ସରପଞ୍ଚ ମାଡାମଙ୍କ ସ୍ଵାମୀ। ଆମେ ଜାଣିଛୁ ସେ ଲୋକଟା କେତେ ସଚ୍ଚୋଟ। ଚୋରଙ୍କ ଗୁରୁଟାଏ। ନାଁକୁ ସ୍ତ୍ରୀ ସରପଞ୍ଚ ଥିଲା, କିନ୍ତୁ ହାକିମାତି ସେ ଦେଖାଉଥିଲା। ଆଉ ଗୋଟିଏ ଦଳରେ ଲଢ଼ୁଛି ଆମ ଗାଁର ପଞ୍ଚୁଆ। ଆମ ଗାଁର ସିନା, କିନ୍ତୁ ଶଳାଟା ପାଖ ଗାଁ ଛକରେ ମଦ ପିଇ ଗଡ଼ୁଥିଲା। ସେ ଯୋଉଁ ଭୁବନେଶ୍ଵରରୁ ମନ୍ତ୍ରୀ ଆସିଥିଲେ, ମେଳଣ ପଡ଼ିଆକୁ ମ, ସେ ପଞ୍ଚୁଆ ଶଳାଟା ନା ତାଙ୍କ ଉପରକୁ ଚପଲ ଫୋପାଡ଼ନ୍ତା ନା ସରପଞ୍ଚ ପାଇଁ ଟିକଟ୍ ମିଳନ୍ତା? ଏଇ ବଜୁରି ବାବୁ ପରା ତାକୁ ଶହେ ଟଙ୍କା ଦେଇଥିଲେ ଚପଲ ଫୋପାଡ଼ିବା ପାଇଁ, ମୁଁ କଣ ଜାଣିନି? ସେ ଶଳା ସରପଞ୍ଚ ହେବାକୁ ଯୋଗ୍ୟ? ଆମ ଗାଁର ଵାର୍ଡ କେତୋଟି ଜଣିନଥିବ। ବାକି ରହିଲା ବିଶି, ମୋ ସହିତ ପଢ଼ୁନଥିଲା? ପିତାପି ଗାଁର ବିଶିକେଶନ। ଭଲ ପିଲାଟା ଥିଲା। କିନ୍ତୁ ରାଜନୀତିରେ ପଡ଼ି କଣ ହେଲା, ମଝିରେ ମୁହଁକୁ ଅନାଉ ନଥିଲା। ଏବେ କାନ୍ଧରେ ନିର୍ବାଚନ ଜୁଆଳିଟା ପଡ଼ିଛି ବୋଲି ଆସି ଭାଇଭାଇ ଡାକୁଛି ନା? ଲୋକଙ୍କୁ ମଣିଷ ବୋଲି ଭାବେନି। ଗାଁ ସ୍କୁଲ କମିଟି ସଭାପତି ଥିଲା, ଅଧା ଚାଉଳ, ଅଣ୍ଡା ସେ ଖାଇଲା। ନିତାଇ ସାରେ ସ୍କୁଲ ଛାତ ଟଙ୍କାରୁ ଭାଗ ଦେବେନି ମନାକଲେ ବୋଲି, କୁହାଇ ବୋଲାଇ ତାଙ୍କୁ ବଦଳି କରାଇଦେଲା। ଗାଁଲୋକଙ୍କ କଥା କଣ ଶୁଣିଲା? ତା ଗାଁ ବେଣୁକୁ ପରା ହାଣିବ ବୋଲି ଗୋଡ଼ାଇଥିଲା।

ଗୋଟିଏ ନିଶ୍ଵାସରେ ଏତକ କହିସାରିବା ପରେ କିଛି ସମୟ ଚୁପ୍ ରହି ନାଥ ପୁଣି ଯୋଡ଼ିଲା।

- ତମେ କୁହ ଭାଇ, କିଏ ସରପଞ୍ଚ ହେବାକୁ ଫିଟ୍? ସବୁଗୁଡ଼ାତ ଚୋରଙ୍କ ସର୍ଦ୍ଦାର। ଆଗରୁବି ଥିଲେ, ଆଉ ମୁଁ ଜାଣିଛି ଆଗକୁ ବି ଆସିବେ। ତୁମେ କହିଲ, ଆମ ପଞ୍ଚାୟତର କେଉଁ ସରପଞ୍ଚଟା ସଚ୍ଚୋଟ ଥିଲା? ଲୋକଙ୍କ ଦୁଃଖ ବୁଝୁଥିଲା? ଏମାନେତ ସେମାନଙ୍କ ବୋପା। ତେଣୁ ମୁଁ ଜାଣିଛି, ଯାହାକୁ ଭୋଟ ଦେଲେ ବି ଆମ ଗାଁର ଅବସ୍ଥା ବଦଳିବାର ନାହିଁ। ୟା ଆଗଥର ସରପଞ୍ଚ ଯଦି ଖଣ୍ଡେ ଇନ୍ଦିରା ଆବାସ କରିଦେଇଥାନ୍ତା, ବୋଉଟା କଣ କାନ୍ଥ ପଡ଼ି ମରିଥାନ୍ତା? ସେଇଟା ପୁରୁଣା କାନ୍ଥ ବୋଲି ସେତେ ଦିନ ଟେକିଥିଲା।...

ନାଥର ଆଖି ଛଳଛଳ ଥିଲା।

- କେବଳ ବୋଉ କଥା ନୁହେଁ, ଶନିଆ ଭାଇଟା ପୁରା ବର୍ଷା ଦିନଟା ଜରି ଛପର ତଳେ ବିତାଇ ଦେଲା। ଏବେ ଶୀତରେ ବି ସେଇଠି ପଡ଼ିଛି। ଏକଥା କଣ କାହାରି ଆଖିକୁ ଦେଖାଯାଉନାହିଁ? ବୈରାଗୀ ପରା ଭୋଟ ମାଗିବାକୁ ଯାଇଥିଲା ଯେ, ତା ଉପରକୁ ଶନିଆ ଭାଇ ଛେପ ଫୋପାଡ଼ି ଦେଲା। ବୈରାଗୀ ଭାରିଜା ବି ସାଥିରେ ଥିଲା। ଏମାନେ ପୁଣି ସରପଞ୍ଚ ହେବେ...? ଏମାନେ ଜିତିଲେ କଣ ପଞ୍ଚାୟତକୁ ସ୍ଵର୍ଗକୁ ନେଇଯିବେ? ଯ଼ିଏ ଜିତୁ, ଆମ ଗାଁର ଅବସ୍ଥା ଯାହା ଅଛି, ସେୟା ରହିବ। ତେଣୁ ମୁଁ ଭାବି ନେଇଛି, ଭୋଟ ପରେ ତ କେହି କାହାକୁ ପଚାରିବାର ନାହିଁ। ଯାହା ରୋଜଗାର କରିବାର ଅଛି ଏବେ କରିନେବି। ନାହିଁ ମାମୁଁଠୁ କଣା ମାମୁଁ ଭଲ। ଭାବି ନେବି ଭୋଟ ପରେ ଆଦୌ କିଛି ନପାଇବାଠୁ ଏବେ ଯାହା କିଛି ପାଇବି ତା ମୋତେ ସରକାର ଦେଇଛି।

ଏତକ କହି ପାଖକୁ ଆସି କାନ ପାଖରେ ଧୀରେ ସେ ନାଥ କହିଦେଲା, ଟଙ୍କା ଯାହାଠୁ ନିଏ, ଯିଏ ବେଶୀ ଟଙ୍କା ଦେଉ, କିଏ କାହାକୁ ଭୋଟ ଦେଉଛି... କିଏ ଦେଖୁଛି?

ମୁଁ ନିରୁତ୍ତର ଥିଲି। ନାଥ ହସୁଥିଲା।

Comments

  1. Narration of the story is wonderful. Telling a tale of common people in simple and colloquial language is a great art. Loved it.

    ReplyDelete

Post a Comment

Popular posts from this blog

ମୋ ଜେଜେମାଙ୍କ ମୁହଁରୁ ଏକ ଲୋକକଥା (ଭୋଗରାଇ ଅଞ୍ଚଳର)

ସମୟର ଆହ୍ୱାନ: ସୋସିଆଲ ମିଡିଆକୁ ପାଠ୍ୟକ୍ରମରେ ସାମିଲ କରାଯାଉ

ସୋସିଆଲ ମିଡିଆ ଓ ଆଣ୍ଟିସୋସିଆଲ୍ ମୋଟିଭ୍